Breaking News
prev next

ସଫ୍ଟଓଏର ସ୍ୱାଧୀନତା ଦିବସ: ଆମ ହାତେ ଆମ କୋଡ଼ ଲେଖିବା

subhashish

ଶୁଭାଶିଷ ପାଣିଗ୍ରାହୀ 


ଫ୍ରି ଓ ଓପନ ସୋର୍ସ ସଫ୍ଟଓଏର ପଛରେ ଥିବା ସାମାଜିକ ଆବଶ୍ୟକତା ଓ ପ୍ରତିଟି ବ୍ୟବହାରୀଙ୍କୁ ସଫ୍ଟଓଏର ବ୍ୟବହାର, ବଦଳ ଓ ବାଣ୍ଟିବାର ସୁଯୋଗ ଦେବା ଉଦ୍ଦେଶ୍ୟରେ ପାଳିତ ସଫ୍ଟଓଏର ସ୍ୱାଧୀନତା ଦିବସ ।

ସଫ୍ଟଓଏର ଶବ୍ଦଟି ବୋଧେ ଆଉ କାହାରି ପାଇଁ ଅଜଣା ଅଶୁଣା ନୁହେଁ । ଆପଣଙ୍କ ମୋବାଇଲ ଫୋନରୁ କମ୍ପୁଟରଯାଏ ଓ ଏବେ ଏକ ସ୍ଥାନରେ ନ ଥାଇ ସେଠାରେ ଥିବା ଭଳି ଅନୁଭବିବା ପାଇଁ ବ୍ୟବହୃତ ଭର୍ଚୁଆଲ ରିଆଲିଟିଅଗମେଣ୍ଟେଡ଼ ରିଆଲିଟି ହେଡ଼ସେଟରେ ହାର୍ଡ଼ଓଏର ବା ଯାନ୍ତ୍ରିକ ଉପକରଣକୁ ସଠିକ ଭାବେ ପରିଚଳାନା କରିବା ହେଉଛି ସଫ୍ଟଓଏରର କାମ । ଆଉ ସଫ୍ଟଓଏରରେ ଟିକେ ଗୋଳମାଳ ହେଲେ କେବେ କମ୍ପୁଟରର ସ୍କ୍ରିନ ନେଳି ପଡ଼ିଯାଏ ତ ପୁଣି କେବେ କେବେ ମୋବାଇଲରେ ଠିକଣା ଜାଗାରେ ଯେତେ ଦବେଇଲେ ବି କାମକରେନା । ତେବେ ଉଣାଅଧିକ ସାଧାରଣ ଲୋକେ ସଫ୍ଟଓଏରରେ ସ୍ୱାଧୀନତା ଆଉ ତାଙ୍କ ଜୀବନ ପାଇଁ ତା’ର ଭୂମିକା ବାବଦରେ କେବେ ଶୁଣିନଥିବେ । ଆଉ ଏଇଟି ସତରେ ଏକ ଅନାଲୋଚିତ ବିଷୟ । ତେବେ ଏ ବିଷୟକୁ ବୁଝିବା ଆଗରୁ ଆମ ଚଳନ୍ତି ସମାଜର କିଛି ଉଦାହରଣ ଆଡ଼େ ଆସନ୍ତୁ ଆଖିପକେଇବା । ଦିନ ଥିଲା ଆପଣ ରେଡ଼ିଓରୁ ଆକାଶବାଣୀ ଲଗେଇ ଗୀତ, ଖବର, ନାଟକ ଆଦି ଶୁଣୁଥିଲେ । ହେଲେ କେବେ ଆକାଶବାଣୀ ଆପଣଙ୍କ ପାହୁଲାଟିଏ ମାଗିଥିଲା କି ନାଁ ଆପଣ ଭଲ ଭଲ ପ୍ରୋଗ୍ରାମ ଆସୁଛି ବୋଲି ଖୁସିରେ କେବେ କିଛି ଦେଇଥିଲେ? କିନ୍ତୁ ଆପଣଙ୍କ ଅଜାଣତରେ ଆପଣ ସତରେ କିଛି ଦେଇଛନ୍ତି । ତା’ ହେଉଛି ଟିକସ । ଆପଣ ଛୋଟରୁ ବଡ଼ ଯାଏ ଯାହା କିଣୁଛନ୍ତି ପ୍ରାୟ ସବୁ ଜିନିଷରେ ଟିକସ ଦିଅନ୍ତି ଆଉ ଚାକିରି କି ଅନ୍ୟ ଉପାୟରେ ପଇସା ଅରଜୁଥିଲେ ବର୍ଷ ଶେଷକୁ ଇନକମ ଟିକସ ବି ଦିଅନ୍ତି । ଏସବୁ ସରକାରଙ୍କ କାମରେ ଲାଗେ । ତେଣୁ ଆକାଶବାଣୀର ରେଡ଼ିଓ ପ୍ରୋଗ୍ରାମ ହେଉ କି ମୋଦିଙ୍କ ବିଦେଶ ବୁଲା ହେଉ ସବୁ ଆପଣଙ୍କ ପଇସାରେ ହିଁ ହେଉଛି । ସରକାରୀ ଓ ବେସରକାରୀ ଉଭୟ ସ୍ଥାନରେ ଏଇ ଏକା ଜିନିଷ । ତେବେ ସଫ୍ଟଓଏର କ୍ଷେତ୍ରରେ ବି ଏଇ ଏକା ଅବସ୍ଥା । ସାଧାରଣରେ ଜଣାଶୁଣା ମାଇକ୍ରୋସଫ୍ଟର ଉଇଣ୍ଡୋଜ ଅପରେଟିଂ ସିଷ୍ଟମ ପାଇଁ କେତେ ପଇସା ନିଜ ଅଜାଣତରେ ଦେଉଛନ୍ତି ତାହା ନୂଆ ଲାପଟପ କିଣିଲାବେଳକୁ କେବେ ଗଣିନଥିବେ । କିନ୍ତୁ ସେଇଟି ଜମାରୁ ମାଗଣା ଆସିନଥାଏ । ସଫ୍ଟଓଏରଟିଏ ଏକ ବା ଅନେକ ଉଚ୍ଚସ୍ତରର ନିର୍ଦ୍ଦିଷ୍ଟ କାମ କରୁଥିବା ବେଳେ ଏକ କମ୍ପୁଟର କି ମୋବାଇଲର ସାମଗ୍ରୀକ ହାର୍ଡ଼ଓଏର ବା ଯନ୍ତ୍ରପାତି ଓ ସଫ୍ଟଓଏର ସବୁକୁ ପରିଚାଳନା ପାଇଁ ଅପରେଟିଂ ସିଷ୍ଟମ ବ୍ୟବହାର କରାଯାଏ । ବିଭିନ୍ନ ଅପରେଟିଂ ସିଷ୍ଟମ ଓ ସଫ୍ଟଓଏର ଭିନ୍ନଭିନ୍ନ ଉପାୟରେ ତିଆରି ହୁଏ । କେବେ ଏସବୁ ମାଇକ୍ରୋସଫ୍ଟ କି ଆପଲ ଭଳି ବଡ଼ ବଡ଼ କମ୍ପାନି ତିଆରି କରି ବିକନ୍ତି ତ କେବେ କେବେ ବ୍ୟକ୍ତିବିଶେଷ ବା ଛୋଟ ବଡ଼ ସଂଗଠନ ମଧ୍ୟ ବିକନ୍ତି । କିନ୍ତୁ ଏସବୁ ବାଦେ ଆଉ ଏକ ଧରଣର ସଫ୍ଟଓଏର ଗଢ଼ାଳି ବ୍ୟକ୍ତିବିଶେଷ-ସଂଗଠନ-କମ୍ପାନି ମଧ୍ୟ ଅଛନ୍ତି । ସେମାନେ ସଫ୍ଟଓଏର ତିଆରି କରି ଖାଲି ବଜାରରେ ଛାଡ଼ନ୍ତି ନାହିଁ ବରଂ ସେ ସଫ୍ଟଓଏରର ସୋର୍ସ କୋଡ଼ ମଧ୍ୟ ଛାଡ଼ନ୍ତି । ଅର୍ଥାତ ଗଣିତ କଷି ଫଳାଫଳ ସଙ୍ଗେ କିପରି କଷିଲେ ସୋପାନ ତଳକୁ ସୋପାନ ଲେଖି ବୁଝାଇଦିଅନ୍ତି । ଫଳରେ ଆଉ କେହି ସେହି ସଫ୍ଟଓଏରରେ କିଛି ବଦଳ କରିବାକୁ ଚାହିଁଲେ କିମ୍ବା ପୁରୁଣା ସଫ୍ଟଓଏରରେ କିଛି ନୂଆ ଯୋଡ଼ି ଉନ୍ନତ କରିବାକୁ ଚାହିଁଲେ ତାଙ୍କୁ ସେଥିରେ କେହି ବାଧା ଦେବେନାହିଁ । କିନ୍ତୁ ନୂଆ ଫଳାଫଳ ବା ସଫ୍ଟଓଏରଟି ବଜାରରେ ଛାଡ଼ିଲା ବେଳେ ତାଙ୍କୁ ମୂଳ ଗଢ଼ାଳିଙ୍କୁ ଉପଯୁକ୍ତ ଶ୍ରେୟ ଦେବାକୁ ପଡ଼ିବ । ଧରନ୍ତୁ ଆପଣ ଚନ୍ଦକାରୁ କଲରାପତରିଆ ବାଘର ଖୋଳ ଆଣି ତାକୁ ଧଳା ରଙ୍ଗ ମାରି ଧଳା ବାଘ କଲେ । ଆପଣଙ୍କୁ ସେ ଧଳା ବାଘକୁ ଶିମିଳିପାଳରେ ଛାଡ଼ିଲା ବେଳେ ଚନ୍ଦକାରୁ ମୂଳ କଲରାପତରିଆ ବାଘ ଆଣିଥିଲେ ବୋଲି ଉଲ୍ଲେଖ କରିବାକୁ ପଡ଼ିବ । ମଜା କଥା ହେଉଛି ଏଭଳି ନିଆରା ଧାରା ଆମ ସମାଜରେ ଜମାରୁ ନୂଆ ନୁହେଁ । ଅକ୍ଷୟ ମହାନ୍ତି ସାଲବେଗଙ୍କ ଲିଖିତ ପୁରୁଣା ଗୀତକୁ ଆଉଥରେ ବୋଲିବା ପରେ ସେ ହଜିଲା ଗୀତସବୁ ଲୋକତୁଣ୍ଡରେ ଆହୁରି ଜଣାଶୁଣା ହେଲା । ହେଲେ ଅକ୍ଷୟ ମହାନ୍ତି ଗୀତର ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବେ ନାଁ ନେଲା ବେଳେ ସାଲବେଗଙ୍କ ରଚନାରୁ ବୋଲି ଲେଖିବାରେ ଉଣା କରିନାହାନ୍ତି ।

ଏହି ଧାରା ଆମ ସମାଜରେ ସବୁକାଳେ ସବୁସ୍ଥଳେ ରହିଛି । ହେଲେ ଆଧୁନିକ ସମାଜରେ ଅନେକ ଲାଭଖୋର କମ୍ପାନି ନିଜ ଲାଭ ଲାଗି ଏ ସାମାଜିକ ଚଳଣିଟିକୁ ପାଶୋରି ପକାଇଛନ୍ତି । ମାଇକ୍ରୋସଫ୍ଟରୁ ଆରମ୍ଭ କରି ଆକୃତି, ଅପ୍ରାନ୍ତ ଯାଏ ପ୍ରାୟ ଅଧିକାଂଶ ସାଧାରଣରେ ବ୍ୟବହାର ହେଉଥିବା ସଫ୍ଟଓଏର ହେଉଛି ପ୍ରୋପ୍ରାଇଟରି ବା ପୂରା ନିବୁଜ । ମାନେ ଆପଣ କେବଳ କିଣି ବ୍ୟବହାର କରିପାରିବେ କିନ୍ତୁ ବାଣ୍ଟିପାରିବେ ନାହିଁ କି କୌଣସି ବଦଳ କରିପାରିବେ ନାହିଁ । କଲେ ଆପଣଙ୍କ ବିରୋଧରେ କୋର୍ଟରେ ଉକ୍ତ କମ୍ପାନିମାନେ କେସ କରି ତଳିତଳାନ୍ତ ମଧ୍ୟ କରିପାରିବେ । ଏ କପିରାଇଟର ଫାନ୍ଦ ଏଡ଼େ କୁଟିଳ ଯେ ସଫ୍ଟଓଏର ତିଆରି କରିଥିବା କମ୍ପାନିମାନେ ସବୁକାଳେ ତାଙ୍କର ମନୋମୁଖୀ ପତିଆରା ରଖିପାରିବେ । ଏଣୁ ଥୋକେ ଭାବିଲେ ବଡ଼ ବଡ଼ ଧନୀ କମ୍ପାନିମାନଙ୍କର ଏ ଗୁମାନ ସେମିତି ଥାଉ । ଆମେ ଚାଲ ବିକଳ୍ପ ଓ ଉଚ୍ଚମାନର କିଛି ସଫ୍ଟଓଏର ତିଆରିବା । ଲୋକ ସ୍ୱାଧୀନ । ଯାହାକୁ ଯାହା ରସିବ ତାକୁ ସେ କିଆଫୁଲ ପରି ବାସୁ । ଆଉ ଏ ଥିଲା ଏକ ସାମାଜିକ ଆବଶ୍ୟକତା । ବିକଳ୍ପ ବାଟଟି ହେଲା ସଫ୍ଟଓଏରର ସ୍ୱାଧୀନତା । ଏଥିରେ କୌଣସି ସଫ୍ଟଓଏର ଗଢ଼ିଥିବା ମୂଳ ଗଢ଼ାଳି ଓ ତା’ ପରେ ସେଥିରେ ଯୋଗଦାନ କରିଥିବା ସଭିଙ୍କୁ ସମାନ ଭାବେ ସମ୍ମାନ ଦେଇ ଯୋଗଦାନକାରୀ ଭାବେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥାଏ । ଖାଲି ନାଁ ନୁହେଁ ଅନେକ ସମୟରେ ଖୋଲା ସଫ୍ଟଓଏର ସଙ୍ଗେ ଜଡ଼ିତ ବ୍ୟକ୍ତିବିଶେଷ ଓ ସଂଗଠନସବୁ ଏମିତି ଆଖିଖୋସିଲା ଭଳି କାମ କରନ୍ତି ଯେ କିଣା ଆଉ ବୁଜା ସଫ୍ଟଓଏର କିଣିବାରୁ କି ବ୍ୟବହାର କରିବାରୁ ମନ ମରିଯିବ । ତିନି ବର୍ଷ ତଳେ Firefox ବ୍ରାଉଜର ତିଆରିରେ ଭାଗନେଇଥିବା Mozillaର ସ୍ୱେଚ୍ଛାସେବୀ ଯୋଗଦାନକାରୀମାନଙ୍କୁ ସମ୍ମାନ ଜଣାଇ ଆମେରିକାର ସାନ ଫ୍ରାନସିସ୍କୋ ସହରରେ ଏକ ବିଶାଳ ସ୍ମାରକୀ ଗଢ଼ି ସେଥିରେ ସମସ୍ତଙ୍କ ନାମ ଲେଖାଯାଇଥିଲା । ଭାବନ୍ତୁ ଏ ପ୍ରକଳ୍ପରେ ସାମାନ୍ୟତମ ଯୋଗଦାନ କରିଥିବା ଲୋକଟିର ନାଁ ବି ଇତିହାସରେ ଲେଖାହୋଇ ରହିଗଲା । ୨୦୦୧ ମସିହାରେ ଇଂରାଜୀ ଓ ତା’ ପରେ ଓଡ଼ିଆ ସମେତ ବାକି ବିଶ୍ୱଭାଷାରେ ଇଣ୍ଟରନେଟରେ ତିଆରି ଖୋଲା ଜ୍ଞାନକୋଷ ଉଇକିପିଡ଼ିଆର ଇତିହାସ ବି ଏମିତି । ଏହି ଉଇକିପିଡ଼ିଆ ୱେବସାଇଟଗୁଡ଼ିକ ମିଡ଼ିଆଉଇକି ନାମକ ଖୋଲା ସଫ୍ଟଓଏରରେ ତିଆରି । ଆଉ ସେଇ ଏକା ସଫ୍ଟଓଏରକୁ ନିଜ ଆବଶ୍ୟକତା ଅନୁସାରେ ବଦଳାଇ ଉଇକିଲିକ୍ସ ଓ ଉଇକିଟ୍ରାଭେଲ ଭଳି ଅଲଗା ଅଲଗା ୱେବସାଇଟ ଆଜି ଚାଳିତ ।

ତେବେ ଅନେକେ ଭାବୁଥିବେ ଯେ ଏ ଫ୍ରି ସଫ୍ଟଓଏର କଣ ସବୁବେଳେ ମାଗଣା? ସଫ୍ଟଓଏର ସ୍ୱାଧୀନତା କ୍ଷେତ୍ରରେ ଗତ କେଇ ଦଶନ୍ଧି ଧରି କାମ କରି ଏ ଆନ୍ଦୋଳନକୁ ବହୁ ଆଗକୁ ନେଇଥିବା ରିଚାର୍ଡ଼ ଷ୍ଟଲମ୍ୟାନ ଖୁବ ସହଜ ଓ ସରଳ ଢଙ୍ଗରେ ଏ ବିଷୟଟି ବୁଝାଇଦିଅନ୍ତି

ଫ୍ରି ସଫ୍ଟଓଏର ମାଗଣାରେ ବଣ୍ଟାଯାଇପାରେ ବା କିଛି ଦରରେ ବିକାଯାଇପାରେ । କିନ୍ତୁ ଏଥିରେ ଥିବା “ଫ୍ରି” ମାଗଣା ନୁହେଁ ବରଂ ଖୋଲା ଜ୍ଞାନ ଭଳି “ଫ୍ରିଡ଼ମ” ବା ସ୍ୱାଧୀନତାକୁ ସୂଚାଏ ।

ତେଣୁ କୌଣସି ସଫ୍ଟଓଏର ବ୍ୟବହାର କରିବା ଆଗରୁ ତା’ର କପିରାଇଟ ବାବଦରେ ସେଥିରେ ଥିବା ନିୟମାବଳୀ ପଢ଼ିଲେ ବୁଝାପଡ଼ିବ ଯେ ତାହା ଏକ ପ୍ରୋପ୍ରାଇଟରି କି ଫ୍ରି ସଫ୍ଟଓଏର । ସ୍ୱାଧୀନତା ମଣିଷର ଜନ୍ମଗତ ଅଧିକାର । ଆଉ ଜ୍ଞାନ ବାଣ୍ଟିବା ଲାଗି । ବାନ୍ଧି ରଖିବା ଲାଗି ନୁହେଁ । କାରଣ କେହି ଜ୍ଞାନ ତିଆରି ନାହିଁ ବରଂ ସଭିଏଁ ଜ୍ଞାନର ନାନାଦି ଭଣ୍ଡାରକୁ ବ୍ୟବହାର କରିବା ପାଇଁ ବାଟ ତିଆରି କରିଥାନ୍ତି । ତେଣୁ ସେ ବାଟରେ ବାଡ଼ କିଆଁ? ନିକଟରେ ସମାଜର ଏହି ପୁରାତନ ଧାରାକୁ ବାହୁଡ଼ି ଯିବା ପାଇଁ ଅନେକ ବ୍ୟକ୍ତିବିଶେଷ, ସଂଗଠନ ଓ ବଡ଼ ବଡ଼ କମ୍ପାନି ଧୀରେ ଧୀରେ ସେମାନେ ତିଆରୁଥିବା ସଫ୍ଟଓଏରର ସୋର୍ସ କୋଡ଼ ଖୋଲାରେ ଦେଲେଣି । ଫଳରେ ସାଧାରଣ ବ୍ୟବହାରକାରୀ ଓ ସଫ୍ଟଓଏର ଗଢ଼ାଳିଙ୍କ ହାତରେ ସ୍ୱାଧୀନ ଭାବେ ସେମାନେ ବ୍ୟବହାର କରୁଥିବା ସଫ୍ଟଓଏରକୁ ନିଜ ଆବଶ୍ୟକ ଅନୁସାରେ ବ୍ୟବହାର କରିପାରିବେ । ଆଉ ସମାଜର ମୌଳିକ ଆବଶ୍ୟକତା ବିଭିନ୍ନତାର ବହୁରଙ୍ଗ ଏଥିରେ ସମୁଜ୍ଜଳେ ଫୁଟିଉଠିବ ।

ଆମ ସମାଜର ଏହି ବାଣ୍ଟିବାର ଧାରାକୁ ନୂଆ ଟେକନୋଲୋଜି ଯୁଗରେ ଉଜ୍ଜୀବିତ କରିବା ଲକ୍ଷରେ ଜଗତ ସାରା ୨୦୦୪ ମସିହାରୁ ସେପ୍ଟେମ୍ବର ମାସର ତୃତୀୟ ସପ୍ତାହରେ “ସଫ୍ଟଓଏର ଫ୍ରିଡ଼ମ ଡେ” ବା “ସଫ୍ଟଓଏର ସ୍ୱାଧୀନତା ଦିବସ” ପାଳିତ ହୋଇଆସୁଛି । ଏଥିରେ କୌଣସି ନିର୍ଦ୍ଦିଷ୍ଟ ସଫ୍ଟଓଏର ନୁହେଁ ବରଂ ଖୋଲା ସଫ୍ଟଓଏର ପଛରେ ଥିବା ଦାର୍ଶନିକ ଓ ସାମାଜିକ ଦୃଷ୍ଟିକୋଣଟି ସଭିଙ୍କୁ ବୁଝାଇବା ହେଉଛି ମୂଳ ଲକ୍ଷ । ଆଉ ଯେଯାଏ ବଡ଼ କମ୍ପାନି ସାଧାରଣ ଲୋକଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ନ ଜଣାଇ କପିରାଇଟ ବଳରେ ବାନ୍ଧି ରଖିଥିବେ ସେଯାଏ ବ୍ୟବହାରୀ ବାପୁଡ଼ା ବା ଜାଣିବ କେମିତି ଏ ଭିତର ଗୁମର? ନିଜ ହାତରେ ନିଜ ଶାସନର ଡୋର ଧରିବା ଯେମିତି ସ୍ୱାଧୀନତା ନିଜ ବ୍ୟବହାରରେ ଲାଗୁଥିବା ସଫ୍ଟଓଏରର ସ୍ୱାଧୀନତା ବି ଏକାଭଳି ପ୍ରତିଟି ବ୍ୟବହାରକାରୀର ଅଧିକାର । ତେଣୁ ଏ ସ୍ୱାଧୀନତା ଦିବସକୁ ସଭିଏଁ ନିଆରା ଢଙ୍ଗରେ ପାଳନ୍ତି । ଆଫ୍ରିକାରେ କିଛି ବର୍ଷ ଆଗରୁ ଫ୍ରି ସଫ୍ଟଓଏର ଚାଳିତ ଏକ ଡ୍ରୋନ ବା ଚାଳକବିହୀନ ପବନଯାନଟିଏ ଛାଡ଼ିଥିଲେ । ଅନେକ ସ୍ଥାନରେ ଲୋକେ ଏକାଠି ହୋଇ ଏ ବାବଦରେ ସଫ୍ଟଓଏର ସ୍ୱାଧୀନତା ବାବଦରେ ଆଲୋଚନା କରନ୍ତି । ଆଉ ପୁଣି କେଉଁଠି ସାଧାରଣ ଲୋକଙ୍କୁ ତାଙ୍କ କମ୍ପୁଟରରେ ଫ୍ରି ସଫ୍ଟଓଏର ଇନଷ୍ଟଲ କରିବା ପାଇଁ କ୍ୟାମ୍ପ କରନ୍ତି । ଫଳରେ ଲୋକେ ନିଜ କମ୍ପୁଟରରେ ମାଇକ୍ରୋସଫ୍ଟର ବିକଳ୍ପ ଓ ଉବଣ୍ଟୁ ଭଳି ଖୋଲା ଲିନକ୍ସ ଅପରେଟିଂ ସିଷ୍ଟମ କିମ୍ବା Mozilla Firefox ଭଳି ବ୍ରାଉଜର ଇନଷ୍ଟଲ କରିପାରିବେ । ସଫ୍ଟଓଏର ସ୍ୱାଧୀନତା ଦିବସର ଚିହ୍ନ ସ୍ୱରୂପର ଲେଖକର ଏ ଲେଖାଟି ମଧ୍ୟ ଏକ ଖୋଲା ଲାଇସେନ୍ସରେ ଆଉ ଶ୍ରେୟ ଦେଇ କେହି ଚାହିଁଲେ ତାହାକୁ ପ୍ରକାଶ କରିପାରିବେ ।


 

ଶୁଭାଶିଷ ପାଣିଗ୍ରାହୀ ଓଡ଼ିଆ ସମେତ ବିଭିନ୍ନ ଦକ୍ଷିଣ ଏସୀୟ ଭାଷାଗୁଡ଼ିକୁ ଇଣ୍ଟରନେଟରେ ଲୋକପ୍ରିୟ କରିବା ଦିଗରେ ମୋଜିଲା, ଉଇକିପିଡ଼ିଆ ଓ ବାକି ଅନେକ ପ୍ରକଳ୍ପରେ କାର୍ଯ୍ୟରତ । ଅଧୁନା ସେ ବେଙ୍ଗାଳୁରୁର ସେଣ୍ଟର ଫର ଇଣ୍ଟରନେଟ ଆଣ୍ଡ ସୋସାଇଟିର ଆକ୍ସେସ ଟୁ ନଲେଜ ପ୍ରକଳ୍ପରେ କାମକରୁଛନ୍ତି ।

Comments

comments